କେନ୍ଦୁଝରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ବନ୍ଧୁମିଳନ ଅନୁଷ୍ଠିତ
👁 2842 views

କେନ୍ଦୁଝର କାଞ୍ଝାହାରୀ ଗେଷ୍ଟ ହାଉସ ପରିସରରେ ଆଜି ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକଙ୍କ ସୁରକ୍ଷା, କଲ୍ୟାଣ ଏବଂ ଡିଜିଟାଲ ମିଡ଼ିଆର ସାମାଜିକ ଦାୟିତ୍ୱ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।
କେନ୍ଦୁଝର ଜିଲ୍ଲା ଶାଖାର ସଭାପତି ଅଜିତ୍ କୁମାର ପଲେଇଙ୍କ ନେତୃତ୍ୱରେ ଏବଂ ମହାସଂଘର ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳକାନ୍ତ ଦାସ, ଲୋକ ସମ୍ପର୍କ ଓ ସୂଚନା ବିଭାଗର ଅଧିକାରୀ ଜ୍ୟୋତିର୍ମୟୀ ନାଏକ ସମ୍ମାନିତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ବିନୟ ଭୂଷଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ।
ଏହାସହ ମହାସଂଘର ରାଜ୍ୟ ଉପସଭାପତି ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ନିରଞ୍ଜନ ପାଣି, ଯୁଧିଷ୍ଠିର ପାତ୍ର, ଜିଲ୍ଲା ସମ୍ପାଦକ କ୍ଷେତ୍ରବାସୀ ମହାନ୍ତଙ୍କ ସମେତ ଧିରେନ କୁମାର ପରିଡ଼ା, ରୁଦ୍ର ନାରାୟଣ ଲୋହାର, ଜଗବନ୍ଧୁ ପଣ୍ଡା, ଚନ୍ଦ୍ରଶେଖର ସାହୁ, ଦୀନବନ୍ଧୁ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ରାଜେଶ ମିଶ୍ର ଓ ଜିଲ୍ଲାର ବହୁ ସାମ୍ବାଦିକ ଏହି ବୈଠକରେ ଯୋଗଦେଇଥିଲେ।
ବୈଠକରେ ସାମ୍ବାଦିକଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, କଲ୍ୟାଣମୂଳକ ବ୍ୟବସ୍ଥା ଏବଂ ବିଭିନ୍ନ ଜନସମସ୍ୟା ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ସହ ସମାଜ ପ୍ରତି ଡିଜିଟାଲ ମିଡ଼ିଆର ଦାୟିତ୍ୱକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଆଶ୍ୱାସନା ପ୍ରଦାନ କରିଥିଲେ।
ଶେଷରେ ସମସ୍ତ ଅତିଥି, ସଦସ୍ୟ ଓ ଉପସ୍ଥିତ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
